ପଦ୍ମ ଧରିଲେ ସମୀର ଦାଶ, ଟିକେଟ ନପାଇବାକୁ ନେଇ ବିଜେଡି ଛାଡିଲେ, ନିମାପଡାରେ ନୂଆ ସମୀକରଣ

ଭୁବନେଶ୍ୱର:ପଦ୍ମ ଧରିଲେ ନିମାପଡା ରାଜନୀତି ତଥା ରାଜ୍ୟର ଜଣାଶୁଣା ଚର୍ଚ୍ଚିତ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ଆଜି ସକାଳୁ ବିଜେଡିରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ସମୀର ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ନିମାପଡାର ଟାଣୁଆ ନେତା ସମୀର ଦାଶ।ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ଦାଶ ।କିନ୍ତୁ ଚଳିତ ନିର୍ବାଚନରେ ସମୀର ଟିକେଟ୍ ପାଇ ନ ଥିଲେ ।ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ। ବିଭିନ୍ନ ସମୟରେ ସମୀର ନିଜର ଅନୁଗତଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ଆସୁଥିଲେ।ସମୀରଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବିଜେଡି ତାଙ୍କୁ ନୂଆ ଦାୟିତ୍ୱ ଦେଇଥିଲା।ତାଙ୍କୁ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ କରି ଚୁପ୍ ବସାଇଦେଇଥିଲା ବିଜେଡି ।କିନ୍ତୁ ଅସନ୍ତୁଷ୍ଟ ସମୀରଙ୍କୁ ବୁଝାଇବାରେ ଅକ୍ଷମ ହୋଇଥିଲା ।ବିଜେଡି ଛାଡିବାର କିଛି ଘଣ୍ଟା ଭିତରେ ହିଁ ବିଜେପିରେ ସାମିଲ ହୋଇଛନ୍ତି ।ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଇସ୍ତଫା ଦଦେବା ପରେ ପଦ୍ମ ପୋଖରୀରେ ସେ ବୁଡ଼ ପକାଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଏବଂ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ସହ ଦଳ ତାଙ୍କ ଉପରୁ ଆସ୍ଥା ହରାଇଥିବା ଭିଡିଓରେ କହିଥିଲେ ସମୀର ।
ସୂଚନା ଅନୁସାରେ ୨୦୦୯, ୨୦୧୪, ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିମାପଡା ବିଧାୟକ।ଦୀର୍ଘ ବର୍ଷ ଧରି ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ।କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା।ଏଥର ସମୀରଙ୍କ ସ୍ଥାନର ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି ।ଏବେ ସମୀର ବିଜେପିରେ ସାମିଲ ହେବା ପରେ ନିମାପଡା ରାଜନୀତିରେ ଚଳିତ ନିର୍ବାଚନରେ କିଭଳି ସମୀକରଣ ସୃଷ୍ଟି ହେଉଛି ତାରି ଉପରେ ସମସ୍ତଙ୍କ ନଜର।