ହାରିଲା ପରେ ଗାଳି କଲେ ମାଲିକ, ଆଇପିଏଲ ଇତିହାସରେ ଘଟିଲା ଏମିତି ଘଟଣା, କ୍ଷୁବ୍ଧ ହେଲେ କ୍ରିକେଟପ୍ରେମୀ

ନୂଆଦିଲ୍ଲୀ :ମ୍ୟାଚ ହାରିଗଲେ ବୋଲି ମାଲିକ ଗାଳି କଲେ।ଦଳର ପରାଜୟ ପରେ ଅଧିନାୟକଙ୍କୁ ତାଗିଦ କଲେ ମାଲିକ।କ୍ୟାମେରା ସାମ୍ନାରେ ଟିମ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କୁ ଅପବ୍ୟବହାର କଲେ। ଖେଳରେ ହାର ଜିତ ଅଛି।ମ୍ୟାଚ ହାରିଲେ ତାହା ଏକାନ୍ତରେ ବିସ୍ଲେଷଣ କରିବା କଥା। ହେଲେ ଚଳିତ ଆଇପିଏଲରେ ଏପରି କିଛି କଥା ଦେଖିବାକୁ ମିଳିଛି ଯାହା କ୍ରିକେଟ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।ତେବେ ମ୍ୟାଚ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା।ଏଥିରେ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମାଲିକ ସଞ୍ଜୀବ ଗୋଏଙ୍କା ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଉଛି ।ତେବେ ଦଳ ହାରିବା ପରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହେଉଥିବାର ଭିଡିଓ ଭାଇରାଲ ହୋଇଛି।
ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ସଞ୍ଜୀବ ଗୋଏଙ୍କାଙ୍କ ଏପରି ବ୍ୟବହାର ଅନୁଚିତ ଥିଲା ବୋଲି ସଭିଏଁ କହିଛନ୍ତି।ଖେଳକୁ ନେଇ ସମସ୍ତଙ୍କର ଆବେଗ ଥାଏ। ଦଳ ହାରିଗଲେ ଖେଳାଳି ଯେତିକି ଦୁଃଖୀ ହୁଅନ୍ତି ତା ଠାରୁ ଅଧିକ ଦୁଃଖୀ ହୁଅନ୍ତି ଦଳର ମାଲିକ ମାନେ।କିନ୍ତୁ ରାଗ ଓ ଦୁଃଖକୁ ନିୟନ୍ତ୍ରଣ କରି ଆଗକୁ ବଢିବାକୁ ପଡିବ।ଏମିତି ସାର୍ବଜନୀକ ଭାବେ ବରିଷ୍ଠ ଖେଳାଳିଙ୍କୁ ବ୍ୟବହାର କେବେ ଗ୍ରହଣୀୟ ନୁହେଁ ବୋଲି ପୂର୍ବତନ କ୍ରିକେଟର ମାନେ କହିଛନ୍ତି।