ବଡମ୍ବାରେ ବିଜେପିରେ ବିଦ୍ରୋହ, ଫାଇଦା ନେବ ବିଜେଡି
ବଡମ୍ବା : ବଡମ୍ବାରେ ଦୁଇଫାଳ ବିଜେପି। ଦିନକୁ ଦିନ ତୀବ୍ର ହେଉଛି ବଡମ୍ବା ବିଜେପିରେ ଲାଗିରହିଥିବା କନ୍ଦଳ। ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରି ପାରୁନାହାନ୍ତି ବିଜୟଙ୍କ ସମର୍ଥକ। ଏଠାରେ ବିଜେପିର ପ୍ରାର୍ଥୀ ଘୋଷଣାଠାରୁ ବିବାଦ ଲାଗି ରହିଛି। ବିଜୟ ଦଳବେହେରାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସଂଗଠନ ନଥିବା ସମ୍ବିତଙ୍କୁ ଟିକେଟ ଦେବା ପରେ ବିଜେପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ବଡମ୍ବା ବିଜେପି ପ୍ରାର୍ଥୀଙ୍କୁ ନେଇ ବିଧାନସଭା କ୍ଷେତ୍ରରେ ବିଜେପି ସଂଗଠନ ଦୁଇ ଫାଳ । ସିଂହ ଭାଗ ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ସହ ଥିବା ବେଳେ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସମ୍ବିତ ତ୍ରିପାଠୀ ହାଇକମାଣ୍ଡଙ୍କୁ ଧରି ପ୍ୟାଚ ପକାଇବାକୁ କରୁଛନ୍ତି ଚେଷ୍ଟା । ଦଳ ମଧ୍ୟରେ କନ୍ଦଳ ଏତେ ତୀବ୍ର ହୋଇଛି ଯେ, କଟକ ସାଂସଦ ପ୍ରାର୍ଥୀଙ୍କୁ ବି ପ୍ରଚାରକୁ ଯିବା ସମୟରେ ହଟହଟା ହେବାକୁ ପଡିଥିଲା ।
ବଡମ୍ବା ପାଇଁ ବିଜେପି ଦଳ ବାଛିଥିବା ପ୍ରାର୍ଥୀଙ୍କୁ ବିରୋଧ କେବଳ ବଡମ୍ବା ଭିତରେ ସୀମିତ ନାହିଁ । ଅସନ୍ତୁଷ୍ଟ ନେତା ଓ କର୍ମୀ ରାଜ୍ୟ ବିଜେପି ମୁଖ୍ୟାଳୟରେ ବି ବିରୋଧ କରୁଛନ୍ତି । ରାଜ୍ୟ ସଭାପତିଙ୍କୁ ସ୍ମାରକପତ୍ର ଦେଇ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ବର୍ଷ ବର୍ଷ ଧରି ବଡମ୍ବାରେ ବିଜେପି ସଂଗଠନକୁ ମଜବୁତ କରିବାକୁ କାମ କରୁଥିବା ବିଜୟ ଦଳବେହେରାଙ୍କୁ ଅଣଦେଖା କରି ନବାଗତ ସମ୍ବିତ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ନେତା ଓ କର୍ମୀ । ସମ୍ବିତ ତ୍ରିପାଠୀଙ୍କ ଘର ଯଦିଓ ବଡମ୍ବାରେ ସେ ଆଜି ପର୍ଯ୍ୟନ୍ତ କେବେ ବି ଦଳ ପାଇଁ କାମ କରିନାହାଁନ୍ତି । ବରଂ ବିଜୟ ଦଳବେହେରା ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବି ଦେବୀ ମିଶ୍ରଙ୍କୁ ବରାବର ଟକ୍କର ଦେଇ ଆସୁଥିଲେ । ହେଲେ ଦଳ ବିଜୟଙ୍କୁ ଅଣଦେଖା କରି ସମ୍ବିତଙ୍କୁ ପ୍ରାର୍ଥୀ କରିବାକୁ ଗ୍ରହଣ କରିପାରୁନାହାଁନ୍ତି କର୍ମୀ । କେବଳ ବଡମ୍ବାରେ ନୁହେଁ ରାଜ୍ୟର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଏଭଳି ସ୍ଥିତି ଲାଗିରହିଛି। ପ୍ରାର୍ଥୀ ଘୋଷଣା ପରେ ସବୁ ନିର୍ବାଚନମଣ୍ଡଳୀରେ କର୍ମୀ ଓ ନେତାଙ୍କ ଅସନ୍ତୋଷ ଉଗ୍ର ରୂପ ରାଜ୍ୟ ନେତୃତ୍ୱଙ୍କ ଶିରପୀଡ଼ା ବଢ଼ାଇ ଦେଇଛି। ଏବେ ରାଜ୍ୟରେ ବିଜେପି କାହା ସହ ଲଢ଼ିବ ଓ କାହାକୁ ନେଇ ଲଢ଼ିବ ତାହାର କୂଳ କିନାରା ପାଉନାହିଁ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନ ଭରିବା ଆରମ୍ଭ କରି ସାରିଲେଣି। ହେଲେ ବିଜେପି ଏ ଯାଏଁ ପ୍ରସ୍ତୁତି ଆରମ୍ଭ କରି ପାରିଲା ଭଳି ମନେ ହେଉନି।