thelifelinemedia
Latest Odisha News, Breaking News Today

ଦିନେ ଥିଲେ ହେଭିୱେଟ, ଏବେ ଅଲୋଡ଼ା ଗିରିଧର ଗମାଙ୍ଗ

ଭୁବନେଶ୍ୱର: ଗିରଧର ଗମାଙ୍ଗ। ରାଜ୍ୟ ରାଜନୀତିର ପରିଚିତ ନାଁ। ପୂର୍ବତନ ମୁଖ୍ୟମନ୍ତ୍ରୀ। କଂଗ୍ରେସର ଟାଣୁଆ ନେତା। ଆଦିବାସୀ ଚେହେରାର ବଡ ନାଁ। ଲମ୍ବା ସମୟ ଧରି ରାଜନୀତି ସହିତ ଜଡିତ ଥିବା ହେଭିୱେଟ ନେତା। କିନ୍ତୁ ଏବେ ସେ ଅଲୋଡ଼ା ହୋଇଯାଇଛନ୍ତି। ରାଜ୍ୟ ରାଜନୀତିରେ ଗାଏବ ହୋଇ ଯାଇଛନ୍ତି ଗିରିଧାର। ପୂର୍ବ ଭଳି ସେ ପତିଆରା ଓ ନେତଗିରି ନାହିଁ। ଏଥର ନିର୍ବାଚନରେ ଟିକେଟ ଆଶାୟୀ ଥିଲେ କିନ୍ତୁ ମିଳିଲାନି ଟିକେଟ। ଟିକେଟ ନ ମିଳିବା ପରେ ସତେ ଯେମିତି ରାଜନୀତିରେ ଅଦୃଶ୍ୟ ହୋଇଯାଇଛନ୍ତି ଗିରିଧର ଗମାଙ୍ଗ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେ ଦିନେ ଥିଲେ ପାୱାରଫୁଲ୍‌ ନେତା। ଗିରିଧର ଗମାଙ୍ଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପତ୍ନୀ ସାଂସଦ ମଧ୍ୟ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଦଳ ଶିଶିରଙ୍କୁ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେପଟେ ମାଆ ହେମା ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଦଳ ତାଙ୍କୁ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ନିର୍ବାଚନରେ ମାଆ ଓ ପୁଅ ପରାସ୍ତ ହୋଇଥିଲେ।

ନିର୍ବାଚନରେ ପରାସ୍ତ ହେବା ପରେ ଗମାଙ୍ଗ ପରିବାର ବିଆର୍‌ଏସ୍‌ରେ ମିଶିଥିଲେ। ଭାବିଥିଲେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଆର୍‌ଏସ୍‌ ଟିକଟରୁ ପ୍ରତିନିଧିତ୍ୱ କରିବେ। ହେଲେ ସେମିତି କିଛି ଘଟିଲା ନାହିଁ। ପରବର୍ତ୍ତୀ ସମୟରେ ଗମାଙ୍ଗ ପରିବାର ଦିଲ୍ଲୀ ଯାଇ କଂଗ୍ରେସରେ ମିଶିଥିଲେ। ହେମା ଗମାଙ୍ଗ ଆଶା ରଖିଥିଲେ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ। ହେଲେ ତାଙ୍କ ସ୍ଥାନରେ ସତ୍ୟଜିତ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଶିଶିର ଗମାଙ୍ଗ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ହେଲେ ଦଳ ତାଙ୍କ ସ୍ଥାନରେ ଭୂଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଆଜିର ତାଲିକାରେ ପୂରା ଗମାଙ୍ଗ ପରିବାର ନିରାଶ ହୋଇଛି।
ଗିରିଧାରୀ ଗମାଙ୍ଗକୁ ୮୧ ଛୁଇଁଲାଣି। ଏଥର ନିର୍ବାଚନରେ ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ତାଙ୍କର ରାଜନୈତିକ ଯାତ୍ରାରେ ପୂର୍ଣ୍ଣଛେଦ ପଡିପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.