କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା, ଇଡି ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା । ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ ଖାରଜ କରିଛନ୍ତି । ସେ କହିଛନ୍ତି ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ । ଇଡି ପାଖରେ ପଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।
ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଗିରଫକୁ ବୈଧ ବୋଲି କହିଛନ୍ତି । କେଜ୍ରିୱାଲଙ୍କ ଗିରଫ ବେଆଇନ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଇଡିର ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜରିୱାଲ କରିଥିବା ଆବେଦନକୁ ନେଇ କୋର୍ଟ କହିଛନ୍ତି ଏହି ମାମଲାରେ କେଜରିୱାଲଙ୍କ ଗିରଫଦାରି ଯଥାର୍ଥ ବୋଲି ଦର୍ଶାଇଛନ୍ତି ଅଦାଲତ। ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି ।
ଜଷ୍ଟିସ ଶର୍ମା କହିଛନ୍ତି ଏହା ଜାମିନ ଶୁଣାଣି ମାମଲା ନୁହେଁ, ବରଂ ଗିରଫଦାରୀର ବୈଧତା ପ୍ରତି ଏକ ଚ୍ୟାଲେଞ୍ଜ ଆବେଦନ ଥିଲା । ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ କେଜ୍ରିୱାଲ ଏହି ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି। ଇଡି ଏହା ମଧ୍ୟ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଉଭୟ ବ୍ୟକ୍ତିଗତ ଏବଂ ଆପ୍ ଆବାହକ ଭାବରେ ମଦ ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ।
ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ସାକ୍ଷୀଙ୍କ ବୟାନକୁ ଖାରଜ କରିପାରିବେ ନାହିଁ, କିନ୍ତୁ ନିଶ୍ଚିତ ଭାବରେ ତାଙ୍କୁ ଜେରା କରିପାରିବେ। ଯଥେଷ୍ଟ ପ୍ରମାଣ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ବୋଲି ସେ ତାଙ୍କ ରାୟରେ କହିଛନ୍ତି।
ଅନ୍ୟପଟେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି। ମାର୍ଚ୍ଚ ୨୧ରେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା।