thelifelinemedia
Latest Odisha News, Breaking News Today

କାହିଁକି ହେଲାନି ବିଜେଡି-ବିଜେପି ମେଣ୍ଟ?

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ଆଲୋଚନା ଫେଲ୍ । କାହିଁକି ହେଲାନି ମେଣ୍ଟ ? ଶଙ୍ଖ-ପଦ୍ମ ଏକାଠି ନହେବା ପଛରେ କାରଣ କଣ ? ମେଣ୍ଟ ହଁକୁ ନା କରିବା ପଛରେ କିଏ ? ଏକାଠି ନୁହେଁ ଏକା ଏକା ଚବିଶ ନିର୍ବାଚନ ଲଢିବେ ବିଜେଡି ଓ ବିଜେପି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେପି ସବୁ ଲୋକସଭା ଓ ବିଧାନସଭା ଆସନରେ ଏକା ଲଢିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି । ଓଡିଶାରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଓଡିଆ ଅସ୍ମିତା, ଓଡିଶାର ଗୌରବ ଓ ଓଡିଶାବାସୀଙ୍କ ସ୍ୱାର୍ଥ କଥା କହି ଏକା ଲଢିବାର କନଫିଡେନ୍ସ ଦେଖାଇଛନ୍ତି ମନମୋହନ । ତାଙ୍କ ପୋଷ୍ଟର କିଛି ସମୟ ପରେ ମେଂଟ ଆଲୋଚନା ଫେଲ୍ ମାରିବା ଖବର କନଫର୍ମ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡି ସବୁ ସିଟରେ ଲଢି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବାର ଦମ୍ଭ ଦେଖାଇଛନ୍ତି ବବି । ଏଥିସହ ଗତ ମାସେ ଧରି ମେଂଟକୁ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଦି ଏଣ୍ଡ ହୋଇଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ହୋଇପାରିଲାନି ବିଜେଡି-ବିଜେପି ମେଂଟ ?

୧-ସିଟ୍ ଭାଗବଂଟାରେ ହେଲାନି ସହମତି
ଏକାଠି ଲଢିଲେ କିଏ କେତେ ସିଟରେ ଲଢିବ ? କୁହାଯାଉଛି, ବିଜେଡି-ବିଜେପି ମଧ୍ୟରେ ସିଟ୍ ହିସାବ ଛିଣ୍ଡିଲାନି । ବିଜେଡି ଲୋକସଭା ସିଟ୍ ବିଜେପି ଦାବି ମୁତାବକ ଦେବାକୁ ରାଜି ହେଲେ ବି ୧୧୨ ବିଧାନସଭା ଆସନ ଲଢିବାକୁ ଅଡି ବସିଲା । ଏମିତି ହେଲେ ବିଜେପିକୁ ମାତ୍ର ୩୫ ଆସନ ମିଳିଥାନ୍ତା । ଏତିକି ଆସନରେ ଲଢିବା ଅଫରକୁ ଗ୍ରହଣ କଲାନି ରାଜ୍ୟ ବିଜେପି । ସଂଖ୍ୟା ଛିଣ୍ଡିଲେ ବି କେଉଁ ସିଟ୍ କାହା ଖାତାକୁ ଯିବ, ତାକୁ ନେଇ ବୁଝାମଣା ହୋଇ ପାରିଲାନି । କାରଣ ସବୁଠି ନେତାଙ୍କ ଦଳବଦଳ ପରେ ସମୀକରଣ ଭିନ୍ନ ।

୨- ରାଜି ହେଲାନି ରାଜ୍ୟ ବିଜେପି
ମେଂଟକୁ ନେଇ ପ୍ରଥମରୁ ହିଁ ଅରାଜି ରହିଥିଲା ରାଜ୍ୟ ବିଜେପି । ୧୫ବର୍ଷର ବିରୋଧ ପରେ ବିଜେଡି ସହ ହାତ ମିଳାଇବାକୁ ମାନିଲେନି ଗେରୁଆ ନେତା । କିଛି ନେତାଙ୍କର ତ ବିଜେଡି ସହ ବ୍ୟକ୍ତିଗତ ବିବାଦ ବି ରହିଛି । ଦଳବଦଳ କରି ବିଜେଡିରୁ ବିଜେପିକୁ ଆସିଥିବା ନେତାଙ୍କ ଭବିଷ୍ୟତ ବି ଥିଲା ଦୋଛକିରେ । ସେଥିପାଇଁ କୌଣସି ମତେ ମେଂଟ ପ୍ରସ୍ତାବରେ ରାଜି ନଥିଲେ ରାଜ୍ୟ ବିଜେପି ନେତା ।

୩- ଶାସକ, ବିରୋଧୀ ମେଂଟ ନେଇ କେଁ
ରାଜ୍ୟର ଶାସକ ଦଳ ସହ ମୁଖ୍ୟ ବିରୋଧୀ ଦଳର ମେଂଟକୁ ଗ୍ରହଣଯୋଗ୍ୟ ହେଲାନି । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ବିରୋଧ କରିଥିବା ବିଜେପି ଏବେ ହଁରେ ହଁ ମାରିବା ଦଳର ବିଶ୍ୱାସନିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା ।

Leave A Reply

Your email address will not be published.