ମେଣ୍ଟକୁ ନେଇ ଶାହଙ୍କ ସଂକେତ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ:ମେଣ୍ଟକୁ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇ ଓଡ଼ିଶାରେ ମେଣ୍ଟ ପ୍ରସଙ୍ଗକୁ ନେଇ ପ୍ରଶ୍ନର ଉତ୍ତର ରଖିଛନ୍ତି ଅମିତ ଶାହ। କହିଛନ୍ତି ପ୍ରଥମେ ଆମେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିବୁ, ନା ଏକାକୀ ନିର୍ବାଚନ ଲଢିବୁ ସେ ନେଇ ନିଷ୍ପତ୍ତି ହେଇଯାଉ। ଯଦି ଆମେ ଏକାକୀ ନିର୍ବାଚନ ଲଢୁ ତେବେ ଆମେ ନିଶ୍ଚୟ ସରକାର ଗଠନ କରିବାକୁ ଲଢିବୁ। ଆଉ ଯଦି ବିଜେଡି ସହ ମେଣ୍ଟ ହେଲା, ତେବେ ସାଥୀ ହେଇ ନିର୍ବାଚନ ଲଢିବୁ।
ଖାଲି ସେତିକି ନୁହେଁ ଏହା ସହିତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ଟିପ୍ପଣୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହ। ସେ କହିଛନ୍ତି, ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି। ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି। ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି। ଏହା ଗଣତନ୍ତ୍ରର ସୁନ୍ଦରତା ବୋଲି ଶାହା କହିଛନ୍ତି।
ମେଣ୍ଟକୁ ନେଇ ଶାହ ପରୋକ୍ଷରେ ସଂକେତ ଦେଇଛନ୍ତି ଯେ ଓଡିଶାର ମେଣ୍ଟକୁ ନେଇ ଆଲୋଚନା ହୋଇଛି କିନ୍ତୁ ସ୍ଥିର ହୋଇନି। ଅର୍ଥାତ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ କଥା ଆଲୋଚନା ହୋଇଛି ବୋଲି ଶାହଙ୍କ କଥାରୁ ବୁଝା ପଡୁଛି।
ଏ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ। ଓଡ଼ିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଭଲପାଇବା ଅଛି। ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ। ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଅମିତ ଶାହ।
ଦେଶରେ ନିର୍ବାଚନ ବିଗୁଲ ବାଜି ସରିଛି। ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ହେବ ନିର୍ବାଚନ। ଓଡ଼ିଶାରେ ମେ ୧୩ରୁ ଆରମ୍ଭ ହେବ ନିର୍ବାଚନ। ୪ଟି ପର୍ଯ୍ୟୟରେ ହେବ ଭୋଟିଂ ହେବ। କିନ୍ତୁ ବିଜେଡ଼ି ବିଜେପି ମେଣ୍ଟ ଚର୍ଚ୍ଚାରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ସମୟ କହିବ।