ଇସିଆଇଙ୍କ କଡ଼ା ଆଭିମୁଖ୍ୟ, ହଟିଲେ ଗୃହ ସଚିବ ଓ ଡିଜିପି

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସ୍ୱଚ୍ଛ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କଡ଼ା ଆଭିମୂଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆଚରଣ ଉଲଂଘନ ନେଇ ୬ ରାଜ୍ୟର ଗୃହ ସଚିବ ଓ ପଶ୍ଚିମବଙ୍ଗ ର ପୋଲିସ ଡିଜିଙ୍କୁ ବଦଳାଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ପଶ୍ଚିମବଙ୍ଗର ଡିଜି ରାଜୀବ କୁମାର ହିଂସା ଘଟଣାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ତାଙ୍କୁ ଡିଜି ପଦରୁ ହଟାଇ ଦେଇଛନ୍ତି ଭାରତୀୟ କମିଶନ। ତାଙ୍କ ସ୍ଥାନରେ ହୋମଗାର୍ଡ ଡିଜିଙ୍କୁ ଦାୟିତ୍ଵ ମିଳିଛି। ଏଥର ହିଂସା ମୁକ୍ତ ନିର୍ବାଚନକୁ ପ୍ରାଥମିକତା ଦିଆଯାଇଛି। କୌଣସି ସ୍ଥିତିରେ ହିଂସା ଗ୍ରହଣୀୟ ନୁହେଁ।ଯେଉଁ ପଦାଧିକାରୀ ନିର୍ବାଚନ ଆଚରଣକୁ ଉଲଙ୍ଘନ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପୂର୍ବରୁ କହି ଆସିଛନ୍ତି। ସେହି କ୍ରମରେ ପଶ୍ଚିମବଙ୍ଗ ଡିଜିଙ୍କୁ ତାଙ୍କ ପଦରୁ ହଟେଇ ଦିଆ ଯାଇଛି।
ସେହିପରି ନିର୍ବାଚନ ନୀତି ନିୟମ ନ ମାନିବା ଅଭିଯୋଗରେ ୬ ରାଜ୍ୟର ସଚିବ ବଦଳିଛନ୍ତି। ୟୁପି, ଗୁଜୁରାଟ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ଯର ଗୃହ ସଚିବ ବଦଳି ଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ଏଭଳି ଆଭିମୁଖ୍ୟ ଦେଖି ରାଜନୈତିକ ଦଳ ହୁଅନ୍ତୁ ଅବା ବରିଷ୍ଠ ପଦାଧିକାରୀ ସମସ୍ତେ ସଜାଗ ହୋଇଗଲେଣି। ଟିକେ ଭୁଲ୍ ହେଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଚଳିତ ଥର ନିର୍ବାଚନରେ ଅନେକ କିଛି ନୂଆ ବ୍ୟବସ୍ଥା ଆପଣା ଯାଇଛି। ଗଣତନ୍ତ୍ରର ମହାପର୍ଵ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେଥିପାଇ ଗାଇଡ ଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।