thelifelinemedia
Latest Odisha News, Breaking News Today

ସହରରେ ମଶାଙ୍କ ରାଜୁତି

ବ୍ରହ୍ମପୁର : ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ। ସଂଧ୍ୟା ହେବା ମାତ୍ରକେ ବାହାରେ ରହି ହେଉନାହିଁ କି ଘରେ ବସି ହେଉନାହିଁ। ସହରରେ ମଶା ଏଭଳି ଭାବେ ବଢ଼ିଛି ଯେ ଘରେ ଘରେ ମଶା ନିୟନ୍ତ୍ରଣ ପାଇଁ କିଏ ମଶା ନିବାରଣ ଧୂଆଁ ବ୍ୟବହାର କରୁଛି ତ ପୁଣି କିଏ ମସ୍‌କ୍ୟୁଟୋ ଅଏଲ୍‌। କିଏ ପୁଣି ହାତରେ ମଶା ମାରିବା ପାଇଁ ବ୍ୟାଟ୍‌ ଧରି ବୁଲାଉଥିବା ଦେଖିବାକୁ ମିଳିଛି। ମଶାଙ୍କ ଦାଉରୁ ମୁକୁଲିବା ପାଇଁ ଲୋକେ  ତ୍ରାହି ତ୍ରାହି ଡାକୁଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଏଥିନେଇ ସାମାନ୍ୟତମ ନିଘା ନାହିଁ। ସ୍ବଚ୍ଛ ଭାରତ ଅଭିଯାନରେ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ମଶା ଉତ୍ପତିର ପ୍ରମୁଖ କାରଣ ପାଲଟିଛି।

ମଶା ନିବାରଣ ପାଇଁ ବିଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମେସିନ୍‌ କ୍ରୟ କରାଯାଇଛି କିନ୍ତୁ ଏହାକୁ ବ୍ୟବହାର କରାଯାଉନାହିଁ। ତତ୍କାଳୀନ ପୌର ପରିଷଦ ସମୟରେ ସହରରେ ମଶା ନିବାରଣ ପାଇଁ ଟିଫା ମେସିନ୍‌ କ୍ରୟ କରାଯାଇ ବ୍ୟବହାର କରାଯାଇଥିଲା। ପ୍ରତିମାସରେ ଟିଫା ମେସିନ୍‌ ବିଭିନ୍ନ ୱାର୍ଡ଼ ବୁଲି ମଶା ମରିବା ପାଇଁ ଧୂଆଁ ଛାଡୁଥିଲେ। ପରବର୍ତ୍ତୀ ସମୟରେ ଅଧିକା ଖର୍ଚ୍ଚ ହେଉଥିବା ଆଳ ଦେଖାଇ ଏହାର ବ୍ୟବହାରକୁ କମାଇ ଦେଇଥିଲେ। ଏଭଳି ପରିସ୍ଥିତି ହେଲା ଯେ ଟିଫା ମେସିନ୍‌କୁ ଆଦୌ ବ୍ୟବହାର କରାଗଲା ନାହିଁ। ତେବେ ନିଗମ ବୈଠକ ବେଳେ ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ଟିଫା ମେସିନ୍‌କୁ ପୁଣି କାର୍ଯ୍ୟକାରୀ କରାଯାଇଥିଲା। ପୌରପରିଷଦର ନିଗମରେ ପରିବର୍ତ୍ତନ  ହେବା ପରେ ବି ଏହି ଗୋଟିଏ ହିଁ ଟିଫା ମେସିନ୍‌ ସହରବାସୀଙ୍କ ପାଇଁ ସାହା ଭରସା ହୋଇ ରହିଛି। ବ୍ରହ୍ମପୁର ସହରର ଜନସଂଖ୍ୟା ବୃଦ୍ଧି ପାଇବା ସହ ପରିସୀମା ବୃଦ୍ଧି ପାଇଥିବା ବେଳେ ନିଗମ ପକ୍ଷରୁ ମଶା ନିବାରଣ ପାଇଁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ।

Leave A Reply

Your email address will not be published.