ଭଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବେ ପାଇବେ ପୁରସ୍କାର, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭୁବନେଶ୍ଵର: ଏବେ ଭଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ପୁରସ୍କାର।ଏପରିକି ଭଲ ସ୍କୁଲ ଏବଂ ଭଲ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପୁରସ୍କୃତ ହେବେ। ସୁରଭି ୨୦୨୨ର ଉଦଯାପନୀ ଉତ୍ସବରେ ବୁଧବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ଲାଗି ରାଜ୍ୟରେ ଏମିତି ଘୋଷଣା କରାଯାଇଛି। ଏ ନେଇ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଦ୍ଵାରା ପାଠପଢା ପ୍ରତି ଉଭୟ ଛାତ୍ର-ଛାତ୍ରୀ ଏବଂ ଶିକ୍ଷକଙ୍କୁ ଉତ୍ସାହିତ କରାଯାଇ ପାରିବ।
ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଚଳାଇଛନ୍ତି। ୫ଟି ଉପକ୍ରମରେ ହାଇସ୍କୁଲ ଗୁଡିକର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି।ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଭଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଭଲ ସ୍କୁଲ ଏବଂ ଭଲ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପୁରସ୍କାର ପାଇବେ। ସମୁଦାୟ ପୁରସ୍କାର ରାଶିର ପରିମାଣ ୧୦୦ କୋଟି ଟଙ୍କା ରଖାଯାଇଛି।