ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ ଘଟଣା, ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକିବା ପରେ ଚାକିରି ଛାଡି ରାଜ୍ୟ ବାହାରକୁ ପଳାଇଥିଲେ । ଏବେ ଇଓଡବ୍ଲ୍ୟୁର ଅଧିକାରୀମାନେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା) ପଠାଯାଇଛି ।
ଖବର ଅନୁଯାୟୀ, ୨୦୨୧ ଅକ୍ଟେବରରେ ବାଦଲ କୁମାର ରାଉଳ ନାମକ ଜଣେ ଯୁବକଙ୍କ ସହ ଅନ୍ୟ ୩୭ଜଣ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇ ସାଂଘାତିକ ଅଭିଯୋଗ ଆଣିଥିଲେ । ଏତଲାରେ ର୍ଦଶାଇଥିଲେ, ସିପିଏସ୍ଇ ୨୦୧୩ରେ ଯୁଗ୍ମ ପୁଲିସ ପରୀକ୍ଷା ସେବା (ସବ୍ଇନ୍ସପେକ୍ଟର, ସରର୍ଜାଣ୍ଟ ଓ ଡେପୁଟି ସୁବେଦାର) ପଦବି ପାଇଁ ପରୀକ୍ଷା ହୋଇଥିଲା । ୨୦୧୬ ଡିସେମ୍ବରରେ ଏହାର ଚୂଡାନ୍ତ ମେଧାବୀ ତାଲିକା ପ୍ରକାଶ ପାଇଥିଲା । ୩୮ ଜଣ ତାଲିକାରେ ନାମ ନଥିଲା । ଏହି ୩୮ ଜଣ ବିଭିନ୍ନ ଆଡେ ଯାଇ କ’ଣ ପାଇଁ ତାଲିକାରେ ସେମାନଙ୍କ ନାଁ ନାହିଁ ସେ ବିଷୟରେ ପଚାରିଥିଲେ । ହେଲେ ଉତ୍ତର ପାଉନଥିଲେ । ଏହି ସମୟରେ ଠକ ଜୟନ୍ତ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାଁର ବୈକୁଣ୍ଠନାଥ ନାୟକ, ଭୀମଶେନ ମହାରଣା ଓ ଅନ୍ୟ ଜଣେ ଯୁବକଙ୍କ ଏମାନଙ୍କ ଲୁଟିବାକୁ ଯୋଜନା କରିଥିଲେ ।