କଂଗ୍ରେସର ସଭାପତି ପଦଭାର ଗ୍ରହଣ କରିବେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ପଦଭାର ସମ୍ଭାଳିବେ। ପଦଭାର ଗ୍ରହଣ କରିବା ସହିତ ତାଙ୍କ ନିକଟରେ ଚ୍ୟାଲେଞ୍ଜର ପାହାଡ ରହିଛି। ତାଙ୍କ ସାମ୍ନରେ ଗୋଟିଏ ପଟେ ରାଜସ୍ଥାନର ରାଜନୈତିକ ସଙ୍କଟ ଥିବା ବେଳେ ଅନ୍ୟପଟେ ମୁଣ୍ଡ ଉପରେ ରହିଛି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ। ଖଡଗେଙ୍କ ଲାଗି ସବୁଠୁ ବଡ ଅଗ୍ନି ପରୀକ୍ଷା ହେଉଛି ୨୦୨୪ ଲୋକସଭା ନିର୍ବାଚନ।
ଖଡଗେ ବୁଧବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ନେତାଙ୍କ ଉପସ୍ଥିତିରେ ପାର୍ଟିର ଅଧ୍ୟକ୍ଷ ପଦଭାର ଗ୍ରହଣ କରିବେ। କର୍ଣ୍ଣାଟକର ଦଳିତ ସମୁଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ୬୬ ବର୍ଷୀୟ ଶଶି ଥରୁରଙ୍କୁ ହରାଇଥିଲେ। ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ୨୪ ବର୍ଷରେ ପ୍ରଥମ ଥର ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି।