ଜାମିନ ଆବେଦନ ଶୁଣାଣି ବେଳେ କାନ୍ଦିଲେ ଅର୍ଚ୍ଚନା

ଝାରପଡା ଜେଲରେ ଥିବା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁକ୍ରବାର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା । ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି ଓ ଏହି ହାଇପ୍ରୋଫାଇଲ ମାମଲାରେ ବଡ଼ବଡ଼ିଆ ସମ୍ପୃକ୍ତି ଥିବାରୁ ତାଙ୍କୁ ଜାମିନ ଦିଆନଯାଉ ବୋଲି ସରକାରୀ ଓକିଲ ଯୁକ୍ତି ବାଢିଥିଲେ ।
ଏହାପରେ ଅର୍ଚ୍ଚନାଙ୍କ ଓକିଲ ଯୁକ୍ତି ବାଢି ତାଙ୍କ ମହକିଲକୁ ରାଜନୀତିର ଚକ୍ରବ୍ୟୁହରେ ଫସାଇ ଦିଆଯାଇଛି ଏବଂ ତାଙ୍କ ବିରୋଧରେ ଲାଗିଥିବା ସବୁ ଧାରା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତାଙ୍କୁ ଜାମିନ ଦିଆଯାଉ ବୋଲି କହିଥିଲେ । ଏହାପରେ କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ଜାମିନ ଆବେଦନର ଶୁଣାଣି ଚାଲିଥିବା ବେଳେ କୋର୍ଟ ରୁମରେ କାନ୍ଦି ପକାଇଥିଲେ ଅର୍ଚ୍ଚନା ନାଗ । ସରକାରୀ ଓକିଲଙ୍କ ଅକାଟ୍ୟ ଯୁକ୍ତି ତାଙ୍କୁ ଜାମିନ ଦେବାରେ ବାଧା ସୃଷ୍ଟି କରୁଥିବା ଜାଣିବା ପରେ ସେ କାନ୍ଦି ପକାଇଥିଲେ । ଶୁଣାଣି ବେଳେ ଭିଡିଓ କନଫରେସିଂ ମାଧ୍ୟମରେ ଉପସ୍ଥିତ ଥିବା ଅର୍ଚ୍ଚନା ବେଶ ଭାଙ୍ଗି ପଡିଥିବା ନଜର ଆସିଥିଲେ ।