ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଏକ ଦୁର୍ନୀତି ଅଭିଯୋଗରେ ଅତିରିକ୍ତ ସିଟି ସିଭିଲ ଆଣ୍ଡ ସେସନ କୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ୟେଦିଙ୍କ ବିରୋଧରେ ମାମଲା କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଏହା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ସେପ୍ଟେମ୍ବର ୭ ତାରିଖରେ ଏହି ମାମଲାର ପୁଣିଥରେ ଶୁଣାଣି କରିବାକୁ ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ସପ୍ତାହ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସେସନ୍ କୋର୍ଟ। ତେବେ ଜୁଲାଇ ୮ ତାରିଖରେ ଏହି ମାମଲାକୁ ଖାରଜ କରିଦେଥିଲେ ନିମ୍ନ ଅଦାଲତ। କାରଣ ରାଜ୍ୟପାଳ ଅଭିଯୋଗ କର୍ତ୍ତା ଟି.ଜେ ଅବ୍ରାହମଙ୍କୁ ମଞ୍ଜୁରୀ ଦେବାକୁ ମନା କରିଦେଇଥିଲେ।
ସୂଚନା ଅନୁସାରେ, ବେଙ୍ଗାଲୁରୁ ବିକାଶ ପ୍ରାଧିକରଣ(ବିଡିଏ) କାମ ଠିକା ଦେବାକୁ ୟେଦୁୟୁରପ୍ପା ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା। ତେବେ କୋର୍ଟ ଆଜି ଏପରି ନିର୍ଦ୍ଦେଶ ଦେବା ପରେ ୟେଦୀ କହିଛନ୍ତି ତାଙ୍କର ନ୍ୟାୟପାଳିକ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ୟେଦିୟୁରପ୍ପା କହିଛନ୍ତି।