ରେରା ଆକ୍ଟ-୨୦୧୭କୁ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ରିୟଲ ଇଷ୍ଟେଟ ସଂସ୍ଥା ଘର କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି । ଘର, ଜମି କ୍ରେତାଙ୍କଠାରୁ ଜିଏସଟି, ସେସ୍ କିମ୍ବା ଅନ୍ୟ ଟିକସ ଆଦାୟ କରିପାରିବେନି । ରିୟଲ ଇଷ୍ଟେଟ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ ସହ ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ରେରା ଆକ୍ଟ-୨୦୧୭କୁ ସଂଶୋଧନ କରିଛନ୍ତି ସରକାର । ଗତ ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇ ଆସନ୍ତା ଚାରି ସପ୍ତାହ ମଧ୍ୟରେ ରେରା ଆକ୍ଟରେ ସଂଶୋଧନ କରାଯିବ ବୋଲି କହିଥିଲେ।
ସେହିଭଳି ଧାର୍ଯ୍ୟ ଅବଧି ପରେ ଆପାର୍ଟମେଣ୍ଟ ହସ୍ତାନ୍ତର କଲେ ବିଲଡରଙ୍କୁ ବର୍ଦ୍ଧିତ ଟିକସ ଦେବେ ନାହିଁ ଗୃହ କ୍ରେତା । ଧାର୍ଯ୍ୟ ଅବଧି ସମୟ ଭିତରେ ଟିକସରେ କୌଣସି ପରିବର୍ତ୍ତନ ହେଲେ ତାହା କେବଳ ଗୃହ କ୍ରେତା ଦେବାକୁ ବାଧ୍ୟ । ଯଦି ବିଲଡର ରେରା ଆଇନ୍ ଅନୁଯାୟୀ ନିର୍ଦ୍ଧାରିତ ସମୟ ଭିତରେ ଆପାର୍ଟମେଣ୍ଟ ନକରନ୍ତି ତେବେ ଏଥିପାଇଁ ବିଲଡରଙ୍କୁ ଯେଉଁ ବର୍ଦ୍ଧିତ ଟିକସ ଦେବାକୁ ପଡ଼ିବ ତାହା ଗୃହ କ୍ରେତାଙ୍କ ଉପରେ ପକାଇ ପାରିବେ ନାହିଁ ।