ପୋଲିସ ରକ୍ଷକ ନୁହେଁ ଭକ୍ଷକ ସାଜିଛି: ଭରତପୁର ଥାନା ଘଟଣାରେ ଦୁଃଖ ପ୍ରକାଶ କରି ବିଜେପିକୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ

ବ୍ୟୁରୋ: ସୁରକ୍ଷା ଓ ନ୍ୟାୟ ପାଇଁ ମହିଳା ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଭରତପୁର ଥାନା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ବୋଲି ପ୍ରିୟଙ୍କା କହିଛନ୍ତି। ଅଧା ରାତିରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ସହିତ ବାନ୍ଧବୀଙ୍କ ସହିତ ଯୌନ ହିଂସା କରୁଛନ୍ତି, ଏଭଳି ସ୍ଥିତିରେ ଦେଶରେ ଜଣେ ନାରୀ କେତେ ସୁରକ୍ଷିତ ବୋଲି ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ।
ବିଜେପି ସରକାରରେ ନାରୀ ସୁରକ୍ଷିତ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି।ଯେଉଁଠି ଡବଲ ଇଂଜିନ ସରକାର ଚାଲିଛି ସେଇଠି ନାରୀଙ୍କୁ ଅଧିକ ନିର୍ଯ୍ୟାତନା ମିଳୁଛି। ନିୟମିତ ବ୍ୟାବଧାନରେ ନାରୀ ନିର୍ଯ୍ୟାତନା ଖବର ସାମ୍ନାକୁ ଆସୁଛି। ଅଯୋଧ୍ୟା ଗ୍ୟାଙ୍ଗ ରେପ ହେଉଛି, ପୀଡ଼ିତା ନ୍ୟାୟ ପାଇଁ ଡହଳ ବିକଳ ହେଉଛନ୍ତି। ଓଡିଶାରେ ଭରତପୁର ଥାନା ଘଟଣା ଆହୁରି ଦୁର୍ଭାଗ୍ୟଜନକ ବୋଲି ପ୍ରିୟଙ୍କା କହିଛନ୍ତି। ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ ନେଇ ଥାନାକୁ ଯାଉଛନ୍ତି କିନ୍ତୁ ପୋଲିସ ସେଠାରେ ତାଙ୍କୁ ଖରାପ ବ୍ୟବହାର ସହିତମାଡ ମାରୁଛି। ଏ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।