thelifelinemedia
Latest Odisha News, Breaking News Today

ବିଜେପିକୁ ମିଳିଛି ଅଧିକ ଚାନ୍ଦା, ସାର୍ବଜନୀନ ହେଲା ନିର୍ବାଚନୀ ବଣ୍ଡ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାଧ୍ୟମରେ କିଏ କେତେ ଟଙ୍କା ପାଇଛି। କେଉଁ ଦଳ ସବୁଠୁ ଅଧିକ ଚାନ୍ଦା ପାଇଛି। କାହାକୁ ବିଲକୁଲ ମିଳିନି। ଏ ବାବଦରେ ପୁରା ତଥ୍ଯ ସାର୍ବଜନୀନ କରିଛନ୍ତି ନିର୍ବାଚନ କମିଶନ। ଷ୍ଟେଟ ବ୍ୟାଙ୍କ ଦେଇଥିବା ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟକୁ ନିର୍ବାଚନ କମିଶନ ସାର୍ବଜନୀନ କରିଛନ୍ତି। ବିଜେପି ସବୁଠୁ ଅଧିକ ଚାନ୍ଦା ନେଇଛି ବୋଲି ଏଥିରେ ଉଲ୍ଲେଖ ରହିଛି। ୬୯୮୬କୋଟି ଟଙ୍କା ମିଳିଛି ବିଜେପିକୁ। ପୁରା ଦେଶରେ ଦଳ ଭିତରେ ବିଜେପିକୁ ସବୁଠୁ ଅଧିକ ଟଙ୍କା ଚାନ୍ଦା ଆକାରରେ ମିଳିଛି। ପଛକୁ ଅର୍ଥାତ ଦ୍ୱିତୀୟରେ ରହିଛି ଟିଏମସି। ମମତା ବାନାର୍ଜୀଙ୍କ ନେତୃତ୍ୱ ଟିଏମସି ଦଳକୁ ମିଳିଛି ୧୩୯୭କୋଟି ଟଙ୍କା ।ତାଲିକା ତୃତୀୟ ସ୍ଥାନରେ ରହିଛି କଂଗ୍ରେସ। ନିର୍ବାଚନୀ ବଣ୍ଡ ମାଧ୍ୟମରେ କଂଗ୍ରେସକୁ ମିଳିଛି ୧୩୩୪ କୋଟି ଟଙ୍କା। ଏହି ତାଲିକାରେ ବିଆରଏସ ରହିଛି ଚତୁର୍ଥ ସ୍ଥାନରେ। କେ ଚନ୍ଦ୍ର ଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତିକୁ ମିଳିଛି ୧୩୨୨ କୋଟି ଟଙ୍କା। ସେହିପରି ତାମିଲନାଡୁରେ କ୍ଷମତାରେ ଥିବା ଡିଏମକେ କୁ ମିଳିଛି ୬୫୬ କୋଟି ଟଙ୍କା। ଓଡ଼ିଶାରେ କ୍ଷମତାସୀନ ବିଜେଡ଼ିକୁ ମିଳିଛି ୯୪୪ କୋଟି ଟଙ୍କା । ୱାଇଏସଆର କଂଗ୍ରେସକୁ ୪୨୨ କୋଟି ଟଙ୍କା ମିଳିଥିବା ବେଳେ ଟିଡିପିକୁ ମିଳିଛି ୧୮୨କୋଟି ଟଙ୍କା।

ଏଆଇଆଇଏମ୍ ଏବଂ ବିଏସପିକୁ ବଣ୍ଡ ଆକାରରେ କିଛି ଟଙ୍କା ମିଳିନି। ନିର୍ବାଚନ ଆୟୋଗ କହିଛି ବିଭିନ୍ନ ରାଜନୈତିକ ଦଳରୁ ମିଳିଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନୀୟତା ରଖି ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ରେଜିଷ୍ଟାର ଏହାକୁ ନକଲ ଡିଜିଟାଲ କପି ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି। ଯାହାକୁ ୱେବସାଇଟରେ ଉପଲବ୍ଧ କରାଯାଇଛି।

ନିର୍ବାଚନୀ ବଣ୍ଡ ତଥ୍ଯ ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ଉଷ୍ମ ହୋଇଛି। ଆରୋପ ପ୍ରତି ଆରୋପ ପର୍ବ ଚାଳିଛି। ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ବିଜେପିକୁ ଏତେ ଚାନ୍ଦା କୋଉଠୁ ଆସିଛି, ତାର ଉତ୍ତର ଜନ ସାଧାରଣ ଜାଣିବା ଉଚିତ୍ ବୋଲି କଂଗ୍ରେସ କହିଛି

Leave A Reply

Your email address will not be published.