ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ କେନ୍ଦ୍ର ପ୍ରସ୍ତୁତ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ଏଥିପାଇଁ ରାଜ୍ୟ ଗୁଡିକର ସହମତି ସମ୍ଭାବନା କମ । ସାମ୍ୱାଦିକଙ୍କ ପ୍ରଶ୍ନରେ ସୋମବାର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏ କଥା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ରାଜ୍ୟ ଗୁଡିକର ସହମତି ଜରୁରୀ ଏବଂ ଯଦି ରାଜ୍ୟ ଏହି ପ୍ରସଙ୍ଗରେ ଆଗକୁ ବଢନ୍ତି ତେବେ କେନ୍ଦ୍ର ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛି ।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ‘ଆମେ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ଅଛୁ । ଏହାକୁ ମୁଁ ବୁଝୁଛି । କିନ୍ତୁ ଦ୍ୱିତୀୟ ପ୍ରସଙ୍ଗ ହେଉଛି ଏହାକୁ କାର୍ଯ୍ୟକାରୀ କରାଇବା । ଏହି ପ୍ରଶ୍ନ ଅର୍ଥମନ୍ତ୍ରୀଙ୍କ ଆଗରେ ଉଠଇବା ଦରକାର’।
ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ନେଇ ଦୀର୍ଘ ଦିନରୁ ଦାବି ଉଠି ଆସୁଛି । ଏହାରି ଭିତରେ ରାଜ୍ୟ ଗୁଡିକର ସହମତି ପ୍ରକାଶ ନେଇ କେନ୍ଦ୍ରମନ୍ତ୍ରୀ ଆଶଂକା ପ୍ରକାଶ କରିଛନ୍ତି । ରାଜ୍ୟ ଗୁଡିକର ରାଜସ୍ୱର ମୁତ୍ର ସ୍ରୋତ ମଦ ଏବଂ ପେଟ୍ରୋଲିୟମ ଉତ୍ପାଦରୁ ମିଳୁଥିବା ଟ୍ୟାକ୍ସ ଅଟେ । ରାଜ୍ୟ ଗୁଡିକୁ ଏଥିରେ କେତେ ଆୟ ହେଉଛି ତାହା ବୁଝିବାରେ କିଛି ବଡ଼ ଅସୁବିଧା ନାହିଁ। ରାଜସ୍ୱ ପାଉଥିବା ଲୋକେ କାହିଁକି ଏହାକୁ ଛାଡିବେ ? ମୁଦ୍ରାସ୍ଫୀତି ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ କେବଳ କେନ୍ଦ୍ର ସରକାର ଚିନ୍ତିତ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।