ଟି-୨୦ ବିଶ୍ବକପ୍ ଫାଇନାଲ, କ୍ରିକେଟ୍ ସାଙ୍ଗକୁ ରକ୍ ସଙ୍ଗ୍ରେ ଝୁମିବେ ଦର୍ଶକ

ନୂଆଦିଲ୍ଲୀ- ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତୀୟ କଣ୍ଠଶିଳ୍ପୀଙ୍କ ଜଲଓ୍ବା ଦେଖିବ ବିଶ୍ବ । ୧୩ ବର୍ଷିୟା ଜାନକୀ ଈଶ୍ବରଙ୍କ ରକ୍ ସଙ୍ଗୀତରେ ଦୁଲୁକିବ ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡ଼ିୟମ । ରବିବାର ଫାଇନାଲକୁ ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ରହିଥିବାବେଳେ କୁନି ଝିଅର ଗୀତରେ ଝୁମିବେ ୯୦ ହଜାର ଦର୍ଶକ । ଏନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ଜାନକୀ ।
ରବିବାର ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି-୨୦ ଫାଇନାଲ ମ୍ୟାଚ୍ । ମହା ମୁକାବିଲାକୁ ନେଇ ଉତ୍ସାହିତ ରହିଛନ୍ତି ଦର୍ଶକ । ତେବେ ଏହି ଫାଇନାଲ ମ୍ୟାଚରେ ଭାରତୀୟ ବଂଶୋଦ୍ଦଭବ ଝିଅ ନିଜର ପ୍ରତିଭା ଦେଖାଇବେ । ୧୩ ବର୍ଷିୟା ଜାନକୀ ଈଶ୍ବରଙ୍କ ସୁମଧୁର କଣ୍ଠରେ ଝୁମିବେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ । ଏନେଇ ଅଷ୍ଟ୍ରେଲିଆର ରକ୍ ବ୍ୟାଣ୍ଡ୍ ଆଇସହାଉସ ସହ ମିଶି ପ୍ରସ୍ତୁତି ଜୋରଦାର କରିଛନ୍ତି ଜାନକୀ ।
କେରଳର କୋଝିକୋଡ଼ିରେ ଜାନକୀଙ୍କ ବଂଶଜ ରହୁଛନ୍ତି । ବାପା ଦିବ୍ୟ ରବିନ୍ଦ୍ରନ୍ ଓ ମା’ ଅନୁପ ଦିବାକର ଗତ ୧୫ ବର୍ଷ ହେଲା ଅଷ୍ଟ୍ରେଲିଆରେ ରହି ଆସୁଛନ୍ତି । ଅଷ୍ଟ୍ରେଲିଆର ଲୋକପ୍ରିୟ ରିୟାଲିଟି ଶୋ’ରେ ଜାନକୀ ନିଜର ଲୁକାଇତ ପ୍ରତିଭା ଦେଖାଇଛନ୍ତି । କମ୍ ବୟସରୁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ଜିଣିଛନ୍ତି । ତେବେ ରବିବାର ଏମସିଜିରେ ରକ୍ ସଙ୍ଗୀତରେ ନିଜର ପ୍ରତିଭା ଦେଖାଇବେ ଏବଂ ଏଥିରେ ପାଇଁ ସେ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ଜାନକୀ ଇଣ୍ଡିଆନ୍ ଏକ୍ସପ୍ରେସକୁ ସକ୍ଷାକାର ଦେଇ କହିଛନ୍ତି । ବିଶ୍ବ ସ୍ତରୀୟ ମ୍ୟାଚରେ ଦର୍ଶକଙ୍କ ଗହଣରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିବାରୁ ଖୁସି ଅନୁଭବ କରୁଛି, ଯଦି ଭାରତ ଫାଇନାଲ ଖେଳିଥାନ୍ତା, ତେବେ ଅଧିକ ଖୁସି ହୋଇଥାନ୍ତି ବୋଲି କୁନି ଝିଅ ଜନକୀ ଈଶ୍ବର କହିଛନ୍ତି । ଲୋକପ୍ରିୟ ରିଆଲିଟି ଶୋ’ରେ ଡେଭ୍ୟୁ ପରେ ବିଭିନ୍ନ ଫିଲ୍ମି ଫେଷ୍ଟିଭାଲ ଓ ଷ୍ଟେଜ୍ରେ ମଧ୍ୟ ଜାନକୀ ପ୍ରଦର୍ଶନ କରିଛନ୍ତି ।