ତାମିଲନାଡୁରେ ଫୁଡ୍ ପଏଜନିଂ ଯୋଗୁଁ ତିନି ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତାମିଲନାଡୁର ତିରୁପୁରରେ ଏକ ଶିଶୁ ଗୃହରେ ଗୁରୁବାର କଥିତ ରୂପେ ଫୁଡ୍ ପଏଜନିଂ ଯୋଗୁଁ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ ବୁଧବାର ରାତ୍ରୀ ଭୋଜନ ପରେ କିଛି ପିଲା ବାନ୍ତି କରିଥିଲେ । ଅଧିକାରୀଙ୍କ ବୟାନ ଅନୁସାରେ, ବୁଧବାର ରାତିରେ ପିଲାଙ୍କୁ ଭାତ ସହ ରସମ ଏବଂ ଲଡୁ ଦିଆଯାଇଥିଲା । ଏହାପରେ ଗୁରୁବାର ସକାଳେ ଜଳଖିଆ କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିଲା ଏବଂ କିଛି ଜଣ ଚେତା ହରାଇଥିଲେ।
ଅଧିକାରୀଙ୍କ ସୂଚନା ଅନୁସାରେ, ସମସ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତିରୁପୁର ଏବଂ ଅବିନାଶୀର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ତିନି ନବାଳକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଆଠରୁ ୧୩ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ଏହାସହ ଅନ୍ୟ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।