thelifelinemedia
Latest Odisha News, Breaking News Today

ଭୁବନେଶ୍ବର ଫିକା ପଡ଼ିଲା ମା’ ଦୁର୍ଗାଙ୍କ ମହାନବମୀ ଦର୍ଶନ

ଭୁବନେଶ୍ବର: ସମଗ୍ର ଉପକୂଳ ସହିତ ରାଜଧାନୀ ଭୁବନେଶ୍ବରରେ ଆଜି ଭୋର ସକାଳ ଠାରୁ ଦିନସାରା ବର୍ଷା ଲାଗି ରହିବା କାରଣରୁ ପୂଜା ମଣ୍ଡପଗୁଡ଼ିକରେ ଅଶାନୁରୂପେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇପାରି ନାହିଁ। ମହାନବମୀ ତିଥିରେ ବଡ଼ ବଡ଼ ପୂଜାମଣ୍ଡପ ଗୁଡ଼ିକରେ ଜନସମୁଦ୍ର ରହିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ମାତ୍ର ବର୍ଷା ଯୋଗୁଁ ଦର୍ଶକ ମା’ଙ୍କ ମଣ୍ଡପକୁ ଆସିପାରି ନ ଥିଲେ। ମନ ଭିତରେ ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍ସାହ ଥଲେ ମଧ୍ୟ ବର୍ଷା ଲୋକଙ୍କୁ ଅଟକାଇ ଦେଇଥିଲା।

ପୂଜା ସମୟରେ ଭୁବନେଶ୍ବରର ରସୁଲଗଡ଼ରୁ କଳ୍ପନା ଛକ, ରେଳଷ୍ଟେସନ ଠାରୁ ବାଣୀବିହାର ଛକା ଓ ବାଣୀବିହାର ଠାରୁ ଓଭରବ୍ରିଜ ତଳ ଦେଇ ପଳାଶୁଣୀ ଛକ ପର୍ଯ୍ୟନ୍ତ ଜନସମୁଦ୍ର ହୋଇଥାଏ। ରସୁଲଗଡ଼, ବମିଖାଲ, ଝାରପଡ଼ା, ଷ୍ଟେସନବଜାର, ସହିଦ ନଗର, ନୟାପଲ୍ଲୀ, ପଳାଶୁଣୀ, ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ମା’ ଦୁର୍ଗାଙ୍କ ପୂଜାସ୍ଥଳୀ ଗୁଡ଼ିକରେ ହଜାର ହଜାର ଲୋକଙ୍କ ଭିଡ଼ ଜମି ଥାଏ। ମାତ୍ର ଆଜି ସକାଳ ଠାରୁ ଅପରାହ୍ନ ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗି ରହିବା କାରଣରୁ ପୂଜାସ୍ଥଳୀଗୁଡ଼ିକରେ ହାତଗଣତି ଲୋକ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.