ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇ: ବିଭିନ୍ନ ରାଜ୍ୟରୁ ୨୪ ଜଣ ଗିରଫ

ବ୍ୟୁରୋ: ହ୍ଵାଟ୍ସଆପ ଗ୍ରୁପରେ ବଡ ଠକେଇ। ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇର ଖୋଲିଛି ଗୁମର।ଏହି ଘଟଣାରେ ୬ କୋଟି ୨୮ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର। କ୍ରାଇମବ୍ରାଞ୍ଚ ବିଭିନ୍ନ ରାଜ୍ୟରୁ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ଏହି ମାମଲା ରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ କେରଳ ରୁ ଗିରଫ କରାଯାଇ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡରେ ସିଆଇଡି କ୍ରାଇମ ବ୍ରାଞ୍ଚ ଦ୍ଵାରା ଓଡିଶାକୁ ଅଣାଯାଇଛି। ଆଜି ସେମାନଙ୍କୁ ଅନଗୁଳ କୋର୍ଟରେ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ କେରଳ ର ବିଭିନ୍ନ ଅଞ୍ଚଳ ଯଥା ତିରୁଅଙ୍ଗଡୀ , ମଲପୁରମ , ତ୍ରିସୁର ର ବାସିନ୍ଦା । ଏହାପୂର୍ବରୁ ବିଭିନ୍ନ ରାଜ୍ୟରୁ ଗିରଫ ୨୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଗୁଜୁରାଟର , ୯ ଜଣ ତାମିଲନାଡୁ ଏବଂ ୭ ଜଣ ରାଜସ୍ଥାନ ରାଜ୍ୟରୁ ଅଛନ୍ତି । ଏହି ମାମଲାର ତଦନ୍ତ ଏବେ ବି ଚାଲିଛି । କୁନ୍ତଳା ମଜୁମଦାର ଗତ ଜୁଲାଇ ମାସରେ କୋଟକ ଇନଭେଷ୍ଟମେଣ୍ଟ କ୍ଲବ ହ୍ଵାଟ୍ସଆପ ଗ୍ରୁପରେ ଆଡ଼ ହୋଇଥିଲେ। ଗ୍ରୁପରେ ପୁଞ୍ଜି ନିବେଶ ପାଇଁ ଜାଣିବା ପରେ ୬ କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାରେ ପହଁଚି ୨୫ କୋଟି ହୋଇଥିଲା। ସେଥିରୁ ୨୩ କୋଟି ଉଠାଇବାର ଅନୁମତି ମିଳିଥିଲା। ଅଗଷ୍ଟ ୨୧ ରେ ଟଙ୍କା ଉଠାଇବାକୁ ଉଦ୍ୟମ କରିବା ପରେ ଗ୍ରୁପ ଆଡ଼ମିନ ତାଙ୍କୁ ଗ୍ରୁପରୁ ହଟାଇ ଦେଇଥିଲେ। କାରବାର ପାଇଁ ବ୍ୟବହୃତ ଆପ ନିଷ୍କ୍ରିୟ ହୋଇ ଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ସାଇବର ୟୁନିଟ ତଦନ୍ତ ପରେ ଜାଣିଥିଲେ ଯେ, ୧୦୦ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରେ ୬ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି। ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ ହୋଇଛି। ଅଭିଯୋଗକାରୀ ୬ ଲକ୍ଷ ୮୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି। ଏବେ ସୁଦ୍ଧା ତାମିଲନାଡୁରୁ ୯ ଜଣ, ଗୁଜରାଟରୁ ୮ ଜଣ ଓ ରାଜସ୍ଥାନ ରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କେରଳରୁ ୫ ଜଣ ଗିରଫ ହୋଇଛନ୍ତି।